୪୦ ଟଙ୍କାରେ ପିଆଜ ବିକିଲେ କଂଗ୍ରେସ କର୍ମୀ

0
7

ଭୁବନେଶ୍ବର : ସରା ରାଜ୍ୟରେ ପିଆଜ ଦର କିଲୋ ପିଛା ଶହେ ଟଙ୍କାରୁ ଖସି ନଥିବା ବେଳେ ଆଜି ରାଜଧାନୀରେ ବ୍ୟତିକ୍ରମ ଦେଖାଦେଖଇଥିଲା। ପିଆଜ କିଲୋ ୪୦ଟଙ୍କାରେ ମିଳୁଥିବା ଦେଖି ଲୋକଙ୍କ ନାହିଁ ନଥିବା ଭିଡ଼ ଜମିଥିଲା। ଏମିତିକି ଲୋକ ଧାଡ଼ିରେ ଆସି ପିଆଜି ନେଇଥିଲେ। ପିଆଜର ଚାହିଦା ଏତେ ଥିଲା ଯେ ଲୋକଙ୍କୁ ଅଧକିଲୋ ଲେଖାଏଁ ଦେଇ ସନ୍ତୁଷ୍ଟ କରିବାକୁ ପଡ଼ିଥିଲା।

ଆଜି ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ପିଆଜ ଦର ବୃଦ୍ଧିକୁ ପ୍ରତିବାଦ କରି ଏଭଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରଦେଶ କିଷାନ କଂଗ୍ରେସନର ସଭାପତି ଅମିୟ ପଟ୍ଟନାୟକଙ୍କ ନେତୃତ୍ବରେ ଶତାଧିକ ଆନ୍ଦୋଳନକାରୀ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ‌ରାଜମହଲ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଏଭଳି ଅଭିନବ ଉପାୟରେ ପ୍ରତିବାଦ କରି କ୍ଷୋଭ ପ୍ରକାଶ କରିଥିଲେ। ପିଆଜ ଉତ୍ପାଦନ ଅଞ୍ଚଳ ବଢ଼ାଇବା, ସ˚ରକ୍ଷଣ ବ୍ୟବସ୍ଥା, ଚାଷୀଙ୍କୁ ପିଆଜ ଉତ୍ପାଦନ ଓ ସାଇତା ଗୃହ ବାବଦରେ ୯୦ ପ୍ରତିଶତ ସରକାରୀ ରିହାତି, ମଣ୍ତି ସ୍ଥାପନ, ପିଆଜ ଉତ୍ପାଦନ ଓ ବିକ୍ରୟ ଚାଷୀ ସ˚ଘ ଗଠନ ପାଇଁ ଦୃଢ଼ ଦାବି କରିଥିଲେ।

କିଷାନ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ପାଇଁ ବାର୍ଷିକ ୪ ଲକ୍ଷ ଟନ୍‌ ପିଆଜର ଚାହିଦା ରହିଛି। ଦୁଃଖର ବିଷୟ ବିଜେଡ଼ି ସରକାର ୨୦ବର୍ଷ ଶାସନ ମଧ୍ୟରେ ଏପର୍ଯ୍ୟନ୍ତ ପିଆଜ ଉତ୍ପାଦନ ସମୟରେ ସଠିକ୍‌ ଭାବରେ ସ˚ରକ୍ଷଣ କରିବା ଏବ˚ ଚାହିଦା ଅନୁଯାୟୀ ଉତ୍ପାଦନ ବୃଦ୍ଧି କରିବା ଦିଗରେ କୌଣସି ଏକ ଦୀର୍ଘମିଆଦୀ ଯୋଜନା କାର୍ଯ୍ୟକାରୀ କରି ନାହାନ୍ତି। ଫଳରେ ପିଆଜ ପାଇଁ ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଭଳି ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ବଲାଙ୍ଗୀର, କଳାହାଣ୍ତି, ନୂଆପଡ଼ା, ସମ୍ବଲପୁର, ବରଗଡ଼, ଫୁଲବାଣୀ, କୋରାପୁଟ, ଦେବଗଡ଼ ଅନୁଗୁଳ ଆଦି ଜିଲ୍ଲାରେ ଉତ୍ପାଦିତ ଓଲି ପିଆଜ ଏବଂ ଗଞ୍ଜାମ, ନୟାଗଡ଼ ଭଳି ଅନ୍ୟ ଜିଲ୍ଲାରେ ଉତ୍ପାଦିତ ଦେଶୀ ପିଆଜ ପାଇଁ ଚାଷୀ ଗୁରୁତର କ୍ଷତି ସହୁଛନ୍ତି। ପିଆଜ ଉତ୍ପ‌ାଦନ ପାଇଁ ରାଜ୍ୟରେ ଯଥେଷ୍ଟ ସୁଯୋଗ ରହିଥିବା ବେଳେ ଚାଷୀଙ୍କୁ ଠିକଣା ସମୟରେ ବିହନ, ଅତ୍ୟାଧୁନିକ ଜ୍ଞାନକୌଶଳ, ପିଆଜ ସ˚ରକ୍ଷଣ ଏବ˚ ବିକ୍ରିବଟା ପାଇଁ ମଣ୍ତି ବ୍ୟବସ୍ଥା କରାଯାଇ ନାହିଁ। ପିଆଜ ସମସ୍ୟାର ସମାଧାନ ପାଇଁ ୩ ବର୍ଷ ତଳେ ଆଳୁ ମିଶନ ପରି ପିଆଜ ମିଶନ ଗଠନ କରାଗଲା। ସରକାର ଓ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ରାଜ୍ୟରେ ପିଆଜର ଏପରି ଅଭାବୀ ପରିସ୍ଥିତି ସୃଷ୍ଟି ହୋଇଛି। ସରକାର ତୁରନ୍ତ ସମାଧାନ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।