ମିଛ ପ୍ରତିଶ୍ରୁତି ଦିଅନ୍ତି ମୋଦି , ନବୀନ: ରାହୁଲ

0
214

ରାଉରକେଲା : ମାତ୍ର ୧୫ ଦିନ ଭିତରେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଦ୍ୱିତୀୟଥର ପାଇଁ ଓଡ଼ିଶା ଗସ୍ତରେ ଆସି ପଶ୍ଚିମ ଓଡ଼ିଶାରେ ନିଜର ଦମ୍‌ ଦେଖାଇଛନ୍ତି। ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ବୁଧବାର ରାହୁଲ ଓଡ଼ିଶାରେ ପହଞ୍ଚିଛନ୍ତି। ସେ ସୁନ୍ଦରଗଡ଼ ଜିଲା ଇସ୍ପାତ ନଗର ରାଉରକେଲାରେ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ନବୀନ, ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ନିଜର ଭାଷଣରେ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରରେ ନେତୃତ୍ୱାଧୀନ ମୋଦି ସରକାରର ‘ରିମୋଟ କଣ୍ଟ୍ରୋଲ’ ବୋଲି କହିବା ସହ ବିଭିନ୍ନ ପ୍ରସଙ୍ଗରେ କଡ଼ା ସମାଲୋଚନା କରିଥିଲେ। ନିଜ କର୍ମୀମାନଙ୍କୁ ଏଭଳି ଶାଳୀନତାର ପରାମର୍ଶକୁ ଏବେ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି କିନ୍ତୁ ରାହୁଲ ନିଜ ଭାଷଣରେ ବାରମ୍ବାର ମୋଦିଙ୍କ ଉଦ୍ଦେଶ୍ୟରେ ‘ଚୌକିଦାର ଚୋର ହୈ’ କହିବା ଶାଳୀନତାର ବିପରୀତ ଥିଲା ବୋଲି ସମାଲୋଚକ କହିଛନ୍ତି।

ରାହୁଲ କହିଛନ୍ତି- “ଓଡ଼ିଶାରେ ଚିଟ୍‌ଫଣ୍ଡ୍‌ ଦୁର୍ନୀତି ହୋଇଛି। ଏଥିରେ ବିଜେଡିରେ ସବୁ ନେତା ଫସିଛନ୍ତି। ନବୀନ ପଟ୍ଟନାୟକ ମଧ୍ୟ ଏଥିରୁ ବର୍ତ୍ତିପାରି ନାହାନ୍ତି। ସେ ମଧ୍ୟ ଭ୍ରଷ୍ଟାଚାର କରିଛନ୍ତି। ‘ଚୌକିଦାର ଚୋର ହୈ, ନବୀନ ପଟ୍ଟନାୟକ ରିମୋଟ୍ କଣ୍ଟ୍ରୋଲ୍‌ ହୈ’। ମୋଦି ଯାହା କହୁଛନ୍ତି ନବୀନ ପଟ୍ଟନାୟକ ତାହା କରୁଛନ୍ତି। ଓଡ଼ିଶାରେ ସରକାର ଚାଲୁ ନାହିଁ। ନରେନ୍ଦ୍ର ମୋଦି ଦିଲ୍ଲୀରୁ ଓଡ଼ିଶା ସରକାର ଚଳାଉଛନ୍ତି। ‘ଗବ୍ବର ସିଂ ଟ୍ୟାକ୍ସ’ ହେଉ ବା ‘ବିମୁଦ୍ରାକରଣ’ ସବୁଥିରେ ମୋଦି ରିମୋଟ୍‌ କଣ୍ଟ୍ରୋଲର ବଟ୍‌ମ ଦବାଇଲେ ନବୀନ ପଟ୍ଟନାୟକ ବିଲ୍‌ ପାସ୍‌ କରାଇ ଦେଉଛନ୍ତି।”

ସେହିପରି କଳାହାଣ୍ଡି ଜିଲା ଭବାନୀପାଟଣାଠାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେଇ ସେ କେନ୍ଦ୍ରର ରାଫେଲ୍‌ ଓ ରାଜ୍ୟ ସରକାରଙ୍କ ଚିଟ୍‌ଫଣ୍ଡ ଦୁର୍ନୀତି କଥା ଉଠାଇ ଜୋରଦାର ସମାଲୋଚନା କରିଛନ୍ତି । ଚୌକିଦାରଙ୍କ ହାତରେ ନବୀନଙ୍କ ରିମୋଟ ବୋଲି ସେ ପୁଣି ଥରେ କହିଛନ୍ତି । ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ ୨ ଘଣ୍ଟା ମଧ୍ୟରେ କୃଷିଋଣ ଛାଡ ହେବ ବୋଲି ସେ ଦୋହରାଇଛନ୍ତି।

ଭବାନୀପାଟଣାର ଶ୍ରୀକୃଷ୍ଣନଗରଠାରେ ଆୟୋଜିତ ସମାବେଶରେ ରାହୁଲ ପ୍ରଥମେ ଜୟ ମା’ ମାଣିକେଶ୍ୱରୀ ଓ ଜୁହାର କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ରାଜନେତା ଭାବେ ଏଠାକୁ ଆସିନାହଁ, ଆପଣମାନଙ୍କ ପରିବାରର ସଦସ୍ୟ ଭାବେ ଏଠାକୁ ଆସିଛି। ଆପଣମାନଙ୍କ ଭଲ ପାଇବା ମୋତେ ଏଠାକୁ ଆସିବାକୁ ବାଧ୍ୟ କରିଛି ବୋଲି କହିଥିଲେ। ଏହାପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅବହେଳା ଉପରେ ଖୁବ୍‌ ଗର୍ଜି ଥିଲେ ରାହୁଲ। ଚାଷୀ ପରିବାର ପାଇଁ ଦୈନିକ ୧୭ ଟଙ୍କା ଦେବାକୁ ମୋଦି ସରକାର ଏଥରର ବଜେଟ୍‌ରେ ବ୍ୟବସ୍ଥା କରିଛନ୍ତି। କିନ୍ତୁ ୧୫ ଜଣ ଶିଳ୍ପପତିଙ୍କୁ ୪ ବର୍ଷରେ ସାଢେ ୩ ଲକ୍ଷ କୋଟି ଟଙ୍କା ଋଣ ଛାଡ କରିଛନ୍ତି ବୋଲି କହି ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ା ମୋଦି ସରକାର ରାଫେଲ ଡିଲ ଭଳି ବଡ ବଡ ପୁଞ୍ଜିପତିମାନଙ୍କ ସହିତ ଦୁର୍ନୀତିରେ ସଂଶ୍ଲିଷ୍ଟ ଥିବାବେଳେ ନବୀନ ପଟ୍ଟନାୟକ ଭଷ୍ଟ୍ରାଚାର ଓ ଚିଟ୍‌ଫଣ୍ଡ ଦୁର୍ନୀତିରେ ଲିପ୍ତ ଅଛନ୍ତି। ଫଳରେ ଚୌକିଦାରଙ୍କ ହାତରେ ନବୀନ ରିମୋଟ ବୋଲି ପୁଣି ରାହୁଲ ଦୋହରାଇଛନ୍ତି।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଗେଲ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ପ୍ରଚାର କମିଟି ମୁଖ୍ୟ ଭକ୍ତ ଚରଣ ଦାଶ, ନବରଙ୍ଗପୁର ପୂର୍ବତନ ଏମ୍‌ପି ପ୍ରଦୀପ ମାଝି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ବିରୋଧ ଦଳ ନେତା ନରସିଂହ ମିଶ୍ର, କଳାହାଣ୍ଡି ଜିଲା ସଭାପତି ଭାରତ ଭୁଷଣ ବେମାଲ ପ୍ରମୁଖଙ୍କ ସହ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ।