ବିଜେପି ଉତ୍ଥାନରେ ବାଧକ ସାଜିଛନ୍ତି କି ବୁଲୁ

0
92

କୋରେଇ: ଯାଜପୁର ଜିଲ୍ଲା ପ୍ରଥମେ ଓଡ଼ିଶା ରାଜଧାନୀ ଭାବେ ପରିଚିତ । ଏହି ଜିଲ୍ଲାରେ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା । ସେହିପରି ଯାଜପୁର ଜିଲ୍ଲାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ସାରା ଓଡ଼ିଶାରେ ଜଣାଶୁଣା । ଏହି ଜିଲ୍ଲାର ନେତାମାନେ ସର୍ବଦା ଓଡିଶା ରାଜନୀତିରେ ନିଜର ଦବ୍ଦବା ପ୍ରଦର୍ଶନ କରି ଆସିଛନ୍ତି । ଜିଲ୍ଲାର ରାଜନେତା ହିସାବରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ସ୍ୱର୍ଗତ ଅଶୋକ ଦାସ, ସ୍ୱର୍ଗତ କଳ୍ପତରୁ ଦାସ ନିଜକୁ ରାଜ୍ୟ ରାଜନୀତିରେ ରାଜ୍ୟନେତା ଭାବେ ପ୍ରତିଷ୍ଠିତ କରିପାରିଥିଲେ । ଏହି ଜିଲ୍ଲାଟି ଅଣକଂଗ୍ରେସ ଗଡ଼ ଭାବେ ଜଣାଶୁଣା । କିନ୍ତୁ ବିଜେଡି ପ୍ରତି ସାଧାରଣ ଲୋକଙ୍କ ସମର୍ଥନ କମୁଥିବା ବେଳେ ଅଣକଂଗ୍ରେସ ଦଳ ଭାବେ ବିଜେପି ଜିଲ୍ଲାରେ ସଂଗଠନ ବଢ଼ାଇ ପାରୁ ନାହିଁ ।

ଜିଲ୍ଲାର ସାଧାରଣ ଲୋକଙ୍କ ଆଲୋଚନା ମୁତାବକ ବିଜେପିର ଉତ୍ଥାନରେ କାଳେ ବାଧକ ସାଜିଛନ୍ତି ସାରଦା ପ୍ରସାଦ ପ୍ରଧାନ (ବୁଲୁ) । ବୁଲୁ ଯିଏ କି ମାହାଙ୍ଗା ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ଲଢ଼ି ୬୦ହଜାର ଭୋଟ ପାଇଥିଲେ । ବୁଲୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକାନ୍ତ ଅନୁଗତ ଭାବେ ଜଣାଶୁଣା । ଏପରି କି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କାଳେ ବୁଲୁଙ୍କ କଥାରେ ଦଳ ପରିଚାଳନା କରନ୍ତି । ବୁଲୁଙ୍କ ହାତରେ ଧର୍ମେନ୍ଦ୍ର ଯାଜପୁର ଜିଲ୍ଲାର ଦାୟିତ୍ୱ ଟେକି ଦେଇଛନ୍ତି ବୋଲି ଦେଖାଯାଉଛି ।

କାରଣ ଯାଜପୁର ଜିଲ୍ଲାର ନେତାମାନେ ବୁଲୁଙ୍କ ନିକଟରେ ଭିଡ଼ ଜମାଉଛନ୍ତି । ଅନ୍ୟ ପଟେ ଦେଖିବାକୁ ଗଲେ ବୁଲୁଙ୍କର କୁଆଡ଼େ ରାଜ୍ୟ ରାଜନୀତିରେ ଯାଜପୁର ଜିଲ୍ଲାର ଜଣେ ପ୍ରଭାବଶାଳୀ ବିଧାୟକଙ୍କ ସହିତ ଘନିଷ୍ଠ ସମ୍ପର୍କ ରହିଛି । କିଛିଦିନ ତଳେ ଅଶୋକ ବଳଙ୍କୁ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଯାଜପୁର ଜିଲ୍ଲାର ଏହି ପ୍ରଭାବଶାଳୀ ବିଧାୟକଙ୍କ ନିର୍ଦ୍ଦେଶରେ ବୁଲୁ ସହଯୋଗ କରିଥିବା ଆଲୋଚନା ହୁଏ । ବୁଲୁ ଜଣେ ଆଇରନ ଓର୍ ଟ୍ରେଡର ଭାବେ ମଧ୍ୟ ଜଣାଶୁଣା । ସେହିପରି ଢେଙ୍କାନାଳର ପୂର୍ବତନ ବିଧାୟକ ନିଧି ସାମଲଙ୍କ ସମୁଦି ଟୁଟୁ ବଳ ଯିଏ କି ବର୍ତ୍ତମାନ ସୁକିନ୍ଦାର ବିଜେପି ନେତା ସାଜିଛନ୍ତି ତାଙ୍କ ସହିତ ବୁଲୁଙ୍କ ୨୦ ବର୍ଷର ପୁରୁଣା ସମ୍ପର୍କ । ନିଧି ସାମଲଙ୍କ ଦ୍ୱାରା ଟୁଟୁ ବିଜେଡି ସହିତ ଯୋଗସୂତ୍ର କରୁଥିବା ବେଳେ ବୁଲୁ ବିଜେପିରେ ଟୁଟୁଙ୍କୁ ସୁରକ୍ଷା ଯୋଗାଉଛନ୍ତି ।

ବୁଲୁଙ୍କର ଅଦ୍ୟାବଧି ଧର୍ମଶାଳା ବିଜେଡି ବିଧାୟକ ପ୍ରଣବ ବଳବନ୍ତରାଏ (ଜିତୁ)ଙ୍କ ସହିତ ଘନିଷ୍ଠ ସମ୍ପର୍କ ରହିଛି । ଯାହା ଫଳରେ ବୁଲୁ ଧର୍ମଶାଳାରେ ଜିତୁଙ୍କୁ ରାଜନୈତିକ ସୁରକ୍ଷା ଦେବା ପାଇଁ ତୁଷାର ପରିଡ଼ାଙ୍କୁ ଧର୍ମଶାଳାରୁ ପ୍ରାର୍ଥୀ କରାଇବା ପାଇଁ କୁଆଡ଼େ ମସୁଧା ଚଳାଇଛନ୍ତି । ଅନ୍ୟପଟେ ଦେଖିବାକୁ ଗଲେ ଧର୍ମଶାଳାରେ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ଦୃଢ଼ ସଂଗଠନ ରହିଛି । ତେବେ ବୁଲୁ ବିଜେପି ପାଇଁ ନା ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ରାଜନୀତିକ ମହଲରେ ଆଲୋଚନା ଚାଲିଛି ।