ଟ୍ରକ୍ ପଛରେ ପିଟିଲା କାର୍ : ଦୁଇ ମୃତ

0
115

ବାରିପଦା, ୦୨/୦୧/୨୦୧୯ – ଟାଟା – ରାଇରଙ୍ଗପୁର ରାସ୍ତାର ଦୁନ୍ଦୁ ଛକ ନିକଟ ଢ଼ାବା ସାମ୍ନାରେ ପାର୍କିଂ କରିଥିବା ଏକ ୧୦ ଚକିଆ ଟ୍ରକ୍ ପଛରେ ଏକ କାର୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତୁ୍ୟ ଘଟିଥିଲା  । ଏହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା  । ଉତ୍ୟକ୍ତ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ମଙ୍ଗଳବାର ସକାଳ ୭ଟା ଠାରୁ ଅପରାହ୍ନ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଦୀର୍ଘ ୬ ଘଂଟାରୁ ଉଦ୍ଧ୍ୱର୍ ସମୟ ଧରି ଶବ ରଖି ରାସ୍ତାରୋକ କରିଥିଲେ  । ବହଳଦା ତହସିଲଦାର ଜାଗର ରଞ୍ଜନ ନାୟକ ସ୍ଥାନୀୟ ପୋଲିସ ସେଠାରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ ନେଇ ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା  ।

ଆନ୍ଦୋଳନକାରୀମାନେ ରାସ୍ତାରୋକରୁ କ୍ଷାନ୍ତ ହୋଇଥିଲେ  । ସୂଚନା ଅନୁଯାୟୀ, ବହଳଦା ଥାନା ଅନ୍ତର୍ଗତ ଦୁନ୍ଦୁ ଅଂଚଳର ମହମ୍ମଦ ଅଲତାଫ ହୁସେନ୍ (୩୫) ଓ ମହମ୍ମଦ ମାଶରୁର୍ ହୁସେନ୍ (୩୨) ଗତକାଲି ବିଳମ୍ବିତ ରାତିରେ ଟାଟାରୁ ଏକ କାର୍ ନଂ ଜେଏଚ୦୫ଏକେ- ୪୮୩୩ ଯୋଗେ ଦୁନ୍ଦୁ ଫେରୁଥିଲେ  । ଦୁନ୍ଦୁ ଛକ ନିକଟରେ କାର୍ ଟି ଟ୍ରକ୍ ନଂ ଓଆର୧୧କେ-୮୨୪୯ ପଛରେ ଧକ୍କା ଦେଇଥିଲା  ।

ଫଳରେ ଉଭୟଙ୍କର ମୃତୁ୍ୟ ଘଟିଥିଲା  । ଶବ ଉଦ୍ଧାର ପରେ ବେଆଇନ ପାର୍କିଂକୁ ବିରୋଧ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସେଠାରେ ଉତେଜନା ପ୍ରକାଶ ପାଇଥିଲା  । ବହଳଦା ତହସିଲଦାର ଶ୍ରୀ ନାୟକ ଓ ସ୍ଥାନୀୟ ପୋଲିସର ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା  । ବହଳଦା ପୋଲିସ ଦୁଇ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ମେଡିକାଲକୁ ପଠାଇଛି  । ଏ ସଂକ୍ରାନ୍ତରେ ୧/୧୯ ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଚଳାଇଛି  ।